Cyclone Jawad update : ପୁରୀ ନିକଟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଜୱାଦ: ଦେଖନ୍ତୁ କେତେ ବେଗରେ ବହିବ ପବନ

ବାତ୍ୟା ଜୱାଦକୁ ନେଇ ସୂଚନା ସ୍ପଷ୍ଟ କଲା ପାଣିପାଗ ବିଭାଗ । ରବିବାର ମଧ୍ୟାହ୍ନ ବେଳକୁ ପୁରୀ ନିକଟରେ ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ରହିଛି । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହା ଉପକୂଳ ଓଡିଶା ସଂଲଗ୍ନ ହୋଇ ଏହା ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି । ତେବ ଘଂଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ ଏହା ସହ ୧୦୦ କିଲୋମିଟର ବେଗରେ ଝଟ୍କା ଅନୁଭବ ହେବ ।

ତେବେ ଏହା ଛଡା ପ୍ରବଳ ବର୍ଷା ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ମଧ୍ୟରାତ୍ରିରେ ପବନର ବେଗ ବଢିବା ଅନୁମାନ କରାଯାଉଛି । ପୁରୀ ସମେତ ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ ବର୍ଷା ଓ ପବନର ବେଗ ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।

ବାତ୍ୟା ଲ୍ୟାଣ୍ଡଫଲ କଲାବେଳକୁ ଘଂଟାପ୍ରତି ୮୦ରୁ ୯୦ କିମି ପବନର ବେଗ ରହିବ, ଏହା ପୂର୍ବରୁ 50 ରୁ 55 କିମି ରହିବ ବୋଲି ଅନୁମାନ କରାଯାଉଛି । ଜିଲ୍ଲା ପ୍ରଶାସନଗୁଡିକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ବାତ୍ୟା ମୁକାବିଲା ପାଇଁ ପୁରୀରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ଲୋକଙ୍କୁ ସଜାଗ ରହିବାକୁ ମାଇକ ଦ୍ୱାରା ପ୍ରଚାର କରାଯାଇଛି । ବାତ୍ୟା ଦ୍ୱାରା ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲାରେ ୨୦ ସେଂଟିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ହେଲେ ପବନ କମ୍ ଓ ବର୍ଷା ଅଧିକ ହେବାର ଆଶଙ୍କା ଥିବାରୁ ସେଭଳି କୌଣସି ବଡଧରଣ ସ୍ଥାନାନ୍ତରଣ ପ୍ରକ୍ରିୟା ଦେଖିବାକୁ ମିଳି ନାହିଁ । ସେହିପରି ସମୁଦ୍ର ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି । ସମୁଦ୍ର ଭିତରକୁ ମତ୍ସ୍ୟଜୀବିଙ୍କୁ ଯିବାପାଇଁ ବାରଣ କରାଯାଇଛି । ସ୍ଥିତି ଉପରେ ନଜର ରଖିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ପୁରୀରେ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ସେହିପରି ରାଜ୍ୟର ସମସ୍ତ ବନ୍ଦରରରେ ୪ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *