ଚାକିରୀ ଉପରେ କରୋନା ମାଡ । କରୋନାର ଦ୍ୱିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ଚାକିରୀ ହରାଇଛନ୍ତି । ଏହାଛଡା କରୋନା ଆରମ୍ଭରୁ ଏ ଯାଏଁ ଦେଶର ୯୭ ପ୍ରତିଶତ ପରିବାରଙ୍କ ଆୟ କମିଛି । ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନମି, ସିଏମଆଇଇ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି ।
ଏହାଛଡା ସହରରେ ବେରୋଜଗାର ହାର ୧୭.୮୮ ପ୍ରତିଶତ ରହିଥିବାବେଳେ ଗ୍ରାମାଂଚଳରେ ଏହା ୯.୫୮ ରହିଛି । ସମଗ୍ର ଦେଶରେ ବେରୋଜଗାର ହାର ୧୨.୧୫ ପ୍ରତିଶତ ରହିଛି । ଗତ ଏପ୍ରିଲ ମାସରେ ଦେଶରେ ବେରୋଜଗାର ହାର ୮ ପ୍ରତିଶତ ଥିବାବେଳେ ମେ ମାସ ସୁଦ୍ଧା ଏହା ୧୨.୧୫ ପ୍ରତିଶତକୁ ବଢିପାରେ ବୋଲି ସିଏମଆଇଇ ଆକଳନ କରିଛି ।
କରୋନାର ଦ୍ୱିତୀୟ ଲହରକୁ ବୋକାରୀର ମୁଖ୍ୟ କାରଣ ବୋଲି କୁହାଯାଇଛି । ସଂସ୍ଥା ଆକଳନ କରିଛି, ଆଗକୁ ଅର୍ଥନୀତିରେ ସୁଧାର ଆସିଲେ ବେକାରୀଙ୍କ ସଂଖ୍ୟା କମିପାରେ । ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଯୋଗୁଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ନହେବା, ଅଧିକାଂଶ କମ୍ପାନୀ ନୂଆ ନିଯୁକ୍ତି ନ ଦେବା ଯୋଗୁଁ ବେକାରୀ ସମସ୍ୟା ବଢିଛି ।
କେବଳ ଆଇଟି କ୍ଷେତ୍ରକୁ ଛାଡିଦେଲେ ଅନ୍ୟ କୌଣସି କ୍ଷେତ୍ରରେ ବିଶେଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇନାହିଁ । ଗତ ଏପ୍ରିଲ ମାସରେ ସିଏମଆଇଇ ସମଗ୍ର ଦେଶରେ ୧ କୋଟି ୭୫ ଲକ୍ଷ ପରିବାରଙ୍କ ଉପରେ ଏହି ସର୍ବେକ୍ଷଣ କରିଥିଲା । କରୋନାର ଦୁଇଟି ଲହରରେ ପରିବାରର ଆୟ ମଧ୍ୟ ହ୍ରାସ ପାଇଥିବା ସର୍ଭେରେ ଦର୍ଶାଯାଇଛି । ମହାମାରୀ ଯୋଗୁଁ ଦେଶରେ ପ୍ରାୟ ୯୭ ପ୍ରତିଶତ ପରିବାରଙ୍କ ଆୟ ହ୍ରାସ ପାଇଛି ।
କେବଳ ଚାକିରି ନୁହେଁ କରୋନାର ଦ୍ୱିତୀୟ ଲହର ନେଲାଣି ୫୯୪ ଡାକ୍ତରଙ୍କ ଜୀବନ । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଜାରି ତଥ୍ୟରେ ଏହା ଦର୍ଶାଇଛି । ଏମାନଙ୍କ ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୧୦୭ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସେହିଭଳି ବିହାରରେ ୯୬ ଓ ଉତରପ୍ରଦେଶରେ ୬୭ ଜଣ ଡାକ୍ତରଙ୍କ ଜୀବନ ଯାଇଛି । ରାଜସ୍ଥାନରେ ୪୩ ଜଣ ଓ ଝାଡଖଣ୍ଡରେ ୩୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଆନ୍ଧ୍ର ଓ ତେଲେଙ୍ଗାରେ ୨୫ ଜଣ ଲେଖାଁଏ ଡାକ୍ତରଙ୍କ ଜୀବନ ନେଇଛି କରୋନାର ଦ୍ୱିତୀୟ ଲହର ।
କରୋନାରେ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଦିନରାତି କାମ କରୁଛନ୍ତି ଡାକ୍ତର । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଘାତକ ଓ ସଂକ୍ରାମକ ହୋଇଛି । କରୋନା ବିରୋଧରେ ସବୁଠୁ ଆଗରେ ରହି ଯୁଦ୍ଧ ଲଢୁଛନ୍ତି ଡାକ୍ତର । ନିଜ ଜୀବନକୁ ପାଣି ଛଡ଼ାଇ ଅତି ନିସ୍ୱାର୍ଥପର ଭାବେ ଏହି ଭୂତାଣୁ କବଳରୁ ରକ୍ଷା କରିବା ପାଇଁ ସେବା ଯୋଗାଇ ଆସୁଛନ୍ତି ।