ସାରା ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ୍ ନେଇ ଘୋଷଣା କଲେ ଏସଆରସି । କରୋନା ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲେ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କରୋନା ମୁକାବିଲା କରିବା ଲାଗି ଆମେ ସମସ୍ତେ ପ୍ରସ୍ତୁତ ହେଉଛୁ । ରାଜ୍ୟର ସମସ୍ତ ଜିଲ୍ଲାର ସହରାଂଚଳ ଏହି ନିୟମ ଲାଗୁ ହେବ ବୋଲି ଜଣାଯାଇଛି । ସପ୍ତାହାନ୍ତ ସଟଡାଉନ ଏପ୍ରିଲ ୨୪ରୁ ଲାଗୁ ହେବ ବୋଲି କହିଲେ SRC । ଏହାପୂର୍ବରୁ କେବଳ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିଲା । ହେଲେ ଏବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି ।
ଭୟଙ୍କର ହେବାରେ ଲାଗିଛି କରୋନା । ଦିନକୁ ଦିନ ରାଜ୍ୟରେ ସଙ୍ଗୀନ ସ୍ଥିତି ହେଲାଣି । ଏବେ ୫ ହଜାର ମୁହାଁ ହେଲାଣି କରୋନାର ଦୈନିକ ସଂକ୍ରମଣ ଟ୍ରେଣ୍ଡ । ତେବେ ଏହାକୁ ନେଇ ଆଜି ପ୍ରେସମିଟ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସବୁଠାରୁ ବେଶି ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ । ଏହି ଦୁଇ ଜିଲ୍ଲାରୁ ସବୁବେଳେ ଅଧିକ ରୋଗୀ ବାହାରୁଛନ୍ତି । ସେହିପରି ଆଜି ରାଜ୍ୟରୁ ୪ ଜଣ ରୋଗୀ ଆଖି ବୁଜିଛନ୍ତି । ତେବେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର ।
ହୋଟେଲ ଖାଇବା ଉପରେ କଟକଣା
ମଲର ଫୁଡ୍ କୋର୍ଟରେ କେହି ଖାଇ ପାରିବେନି ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହ ହୋଟେଲରେ ଖାଇବା ମନା କିନ୍ତୁ କେବଳ ପାର୍ସଲ ମିଳିବ । ଏହାସହ ରାସ୍ତା କଡ ବ୍ୟବସାୟୀ ବି ଲୋକଙ୍କୁ ଖାଇବାକୁ ଦେବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି । ଭିଡକୁ ଦୃଷ୍ଟିରେ ରଖିବେ ଦୋକାନୀ ନଚେତ ଆକ୍ସନ ନିଆଯିବ ବୋଲି କହିଲେ ଏସଆରସି ।
ବାହାଘରରେ ସର୍ବମୋଟ ୫୦ ଜଣ
ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ । ଏଥିପାଇଁ ୨୪ ଘଣ୍ଟା ପୂର୍ବରୁ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ ବୋଲି ଏସଆରସି କହିଛନ୍ତି । ସେହିପରି ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନାହିଁ, ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଭାବରେ ସୂଚନା ଦେଇଛନ୍ତି ଏସଆରସି ।
ଏମାନେ କଟକଣା ମୁକ୍ତ
ସପ୍ତାହାନ୍ତ ସଟଡାଉନରେ ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିବ ବୋଲି ଏସଆରସି କହିଛନ୍ତି । ସ୍ୱାସ୍ଥ୍ୟ ସେବାରେ କାର୍ଯ୍ୟରତ ସବୁ କର୍ମଚାରୀ ଯାଆସ କରିପାରିବେ ବୋଲି ଜଣାପଡ଼ିଛି । ପୋଲିସ, ଅଗ୍ନିଶମ, ପୌର କର୍ମଚାରୀ ସଟଡାଉନ୍ ସମୟରେ ଯାଇପାରିବେ । ଏହାସହ ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ, ଜଳଯୋଗାଣ କର୍ମଚାରୀଙ୍କୁ ମଧ୍ୟ ଯିବାକୁ ଅନୁମତି ମିଳିବ ।
ସଟ୍ଡାଉନ ସହ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ । ସଟ୍ଡାଉନ ବେଳେ ଅତ୍ୟାବଶ୍ୟକ ଜରୁରୀ ସେବା ଜାରି ରହିବ । ଅତ୍ୟାବଶ୍ୟକ ସେବା ସହ ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ପାସ୍ ଲୋଡ଼ା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ବୈଧ ପରିଚୟପତ୍ର ସହ ଯାତାୟାତ କରିପାରିବେ କର୍ମଚାରୀ । ଏଣିକି ରାଜ୍ୟ ବାହାରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଗଲା ।