ତାଣ୍ଡବ ଆରମ୍ଭ କଲା ବାତ୍ୟା ‘ୟାସ’, ୟେଲୋ ୱାର୍ଣ୍ଣିଂରେ ୨୦ ଜିଲ୍ଲା, ଆପଣଙ୍କ ଜିଲ୍ଲା ନାହିଁ ତ

ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ୟାସ୍‌ । ସୋମବାର ସନ୍ଧ୍ୟା ସୁଦ୍ଧା ଏହା ତୀବ୍ର ବାତ୍ୟାର ରୂପ ନେଇସାରିଥିବା ବେଳେ ଆଜି(ମଙ୍ଗଳବାର)ଠୁ ପ୍ରଭାବିତ ଅଞ୍ଚଳରେ ଆରମ୍ଭ ହୋଇଯିବ ଏହାର ପ୍ରକୋପ । ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି 155ରୁ 165 କିଲୋମିଟର ରହିଥିବା ବେଳେ ସର୍ବାଧିକ 185 କିଲୋମିଟର ରହିବ । 26 ତାରିଖ ପୂର୍ଣ୍ଣିମା ଥିବାରୁ 4ମିଟର ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି । ୟାସ ଭୀଷଣ ରୂପ ଧାରଣ କରି ଉପକୂଳ ଅଞ୍ଚଳର ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ଆଦି ଅଞ୍ଚଳରେ ଅଧିକ କ୍ଷୟକ୍ଷତି କରିପାରେ । ତେବେ ମୟୂରଭଞ୍ଜରେ ମଧ୍ୟ ବାତ୍ୟାର ପ୍ରଭାବ ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମହାନିର୍ଦ୍ଦେଶକ ଡ଼ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।


ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବରରେ ପବନର ବେଗ ଘଣ୍ଟା ପ୍ରତି ୧୫୦-୧୬୦ କିମି ରହିବ। ସ୍ଥଳ ବିଶେଷରେ ଏହା ୧୮୫ କିମି ଛୁଇଁପାରେ। ସେହିପରି ମୟୂରଭଞ୍ଜରେ ୯୦-୧୨୦କିମି ରହିବା ଏବଂ ଏହା ବଢି ୧୪୫ କିମି ପର୍ଯ୍ୟନ୍ତ ହୋଇ ପାରେ। ଯାଜପୁର, କଟକ ଓ ପୁରୀରେ ଘଣ୍ଟା ପ୍ରତି ୭୦-୮୦ କିମି ବେଗରେ ପବନ ବୋହିପାରେ। ତେବେ ସମୁଦ୍ରରେ ୨-୪ ମିଟର ଜୁଆର ଉଠିବ।

ଲ୍ୟାଣ୍ଡଫଲ ସମୟରେ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବରରେ ଭୀଷଣ ପବନ ବୋହିବା ସହିତ ସମୁଦ୍ରରେ ବଡ ବଡ ଜୁଆର ଆସିବ। ବାଲେଶ୍ଵର ଓ ଭଦ୍ରକରେ ୨-୪ ମିଟର ଏବଂ କେନ୍ଦ୍ରାପଡା ଓ ଜଗତସିଂପୁରରେ ୨ ମିଟରରୁ ଅଧିକ ଜୁଆର ଆସିବାର ସମ୍ଭାବନା ରହିଛି। ବାତ୍ୟା ୟାସ ଏବେ ସୁଦ୍ଧା ଘଣ୍ଟାପ୍ରତି 5 କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହା ପାରାଦ୍ବୀପଠାରୁ 300କିମି ଦୂରରେ ରହିଥିବା ବେଳେ ବାଲେଶ୍ବରଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାର୍ଶ୍ବରୁ 420କିଲୋମିଟର ଦୂରରେ ରହିଥିବା ଜଣାପଡିଛି ।

ଏହା ବାଲେଶ୍ବର ଓ ଭଦ୍ରକ ମଝିରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଉଛି । ତେବେ ପୂର୍ବରୁ ଏହା ପାରାଦ୍ବୀପ ଓ ପଶ୍ଚିମବଙ୍ଗର ସାଗରଦ୍ବୀପଠାରେ ଲ୍ୟାଣ୍ଡଫଲ କରିବ ବୋଲି ଆଶଙ୍କା କରାଯାଉଥିଲା । ତେବେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ପୁରୀରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *