ପୁଲୱାମା ଆକ୍ରମଣରେ ଜୀବନ ହରାଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିବ…

ଗତ ଗୁରୁବାର ଦିନ ହୋଇଥିବା ଆତଙ୍କି ଆକ୍ରମଣ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ଏହା ଆଜି ପର୍ଯ୍ୟନ୍ତ ହୋଇଥିବା ସବୁ ଆକ୍ରମଣ ମଧ୍ୟରେ ସବୁଠୁ ବଡ ଆକ୍ରମଣ ଥିଲା ବୋଲି କୁହାଯାଉଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା । ୨୫୦୦ରୁ ଅଧିକ ଯବାନ ୭୦ଟି ବସ୍‌ରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଏଥିରେ ୪୪ ଅଧିକା ସିଆରପିଏଫ ଯବାନ ସହିଦ ହେବ ସହ ଅନେକ ଗୁରୁତର ଆଘାତ ମଧ୍ୟ ହୋଇଛନ୍ତି । ଏହା ଉପାରେ ସାରା ଦେଶ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରି ଖୁବ ନିନ୍ଦା କରିଛନ୍ତି ଏହି ଘଟଣାକୁ । ତେବେ ଏଥିରେ ସହିଦ ହୋଇଥିବା ଯବାନ ମାନଙ୍କ ମଧ୍ୟରେ ଆମ ଓଡିଶାର ଦୁଇଜଣ ବୀର ପୁତ୍ର ମଧ୍ୟ ସାମିଲ ଅଛନ୍ତି ।

ସେମାନେ ହେଲେ ସହିଦ ପ୍ରସନ୍ନ କୁମାର ସାହୁ ଓ ସହିଦ ମନୋଜ କୁମାର ବେହେରା । ତେବେ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ସହିଦ ହୋଇଥିବା ଏହି ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ପହଞ୍ଚିବ ଓ ଏହା ପରେ ସେମାନଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମମାଟିକୁ ନିଆଯିବ ବୋଲି ସୂଚନା ମିଳିଛି । ସହିଦ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀରକୁ ଜଗତସିଂହପୁର ଜିଲ୍ଲାର ନାଉଗାଁକୁ ଓ ସହିଦ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି କଟକ ଜିଲ୍ଲାର ନିଆଳି ନିକଟସ୍ଥ ରତନପୁରକୁ ନିଆଯିବ।

ସହିଦ ପ୍ରସନ୍ନ କୁମାର ସାହୁଙ୍କ ଘରକୁ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି କଟକ ନିଆଳିର ସହିଦ ମନୋଜ କୁମାର ବେହେରାଙ୍କ ଘରକୁ ଯାଇ ଶେଷକୃତ୍ୟରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ସାରା ଦେଶରେ ଏବେ ଶୋକର ଛାୟା । ସମସ୍ତ ରାଜନୈତିକ ଦଳ ଏହି ମାମଲାକୁ ନେଇ ଏବେ ଏକତ୍ର ହୋଇଛନ୍ତି । ଆଗକୁ ଏହା ଉପରେ କଣ ନିଷ୍ପତ୍ତି ନିଆଯିବ ସେ ବିଷୟରେ ସାରା ଦେଶରେ ଏବେ ଖୁବ ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *