ସ୍ୱାମୀ ନଥିବା ସମୟରେ ହାତଗୋଡ଼ ବାନ୍ଧି ଜାଳିଦେଲେ ବୋହୂକୁ ଶାଶୁ ଓ ନଣନ୍ଦ ମାନେ

କେନ୍ଦ୍ରାପଡ଼ା ଜିଲ୍ଲା ବାଲିସୁଆଁର ନିର୍ମଳ ସ୍ୱାଇଁଙ୍କ ଘରେ ଗତକାଲିର ଏ ଲୋମଟାଙ୍କୁରା ଘଟଣା, ପୁଣି ଯୌତୁକ ରାକ୍ଷସଙ୍କ ଲୋଭର କୁତ୍ସିତ ପରିଣତିକୁ ଜନମାନସରେ ଉଜାଗର କରିଛି। ଯୌତୁକ ନିଆଁରେ କଲବଲ ହୋଇ ଜଳିଗଲା ପୁଣି ଜଣେ ବୋହୂ। ରାତି ଅଧରେ ଜୀଅନ୍ତା ଜାଳି ଦେବାକୁ ଜଘନ୍ୟ ଉଦ୍ୟମ କରିଥିଲେ ଶାଶୁ ଓ ନଣନ୍ଦ।

ସେହି ଯୌତୁକ ରାକ୍ଷସରୂପୀ ମଣିଷ ଭାରତୀଙ୍କ ଶରୀରରେ ଲାଗିଥିବା ନିଆଁ ପରେ ଘର ସାରା ବ୍ୟାପି ଯିବାରୁ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ୩ ବଖରା। ହୁ ହୁ ଜଳୁଥିବା ନିଆଁକୁ ଖାତିର ନକରି କବାଟ ଭାଙ୍ଗି ମୂମୁର୍ଷୁ ଅବସ୍ଥାରେ ଭାରତୀ ଓ ତାଙ୍କ ଝିଅକୁ ଉଦ୍ଧାର କରି ଅାଣିଥିଲେ ଗାଁ ଲୋକେ । ଅାଉ ମୋବାଇଲରେ ରେକର୍ଡ କରିଥିଲେ ଭାରତୀଙ୍କ ବୟାନ। ନିର୍ମଳଙ୍କ ଅନୁପସ୍ଥିତିରେ ପତ୍ନୀ ଭାରତୀଙ୍କୁ ହାତଗୋଡ଼ ବାନ୍ଧି କିରାସିନି ଢାଳି ଅତି ନିର୍ମମ ଭାବେ ହତ୍ୟା ଉଦ୍ୟମ କରିଥିଲେ ନିର୍ମଳଙ୍କ ମାଅା ଓ ଭଉଣୀ। ଏମିତିକି ତାଙ୍କର ୬ ମାସର କଅଁଳା ଝିଅକୁ ବି ଛାଡ଼ିନଥିଲେ।

କଟକ ବଡ଼ ମେଡିକାଲରେ ଜୀବନ ସହ ସଂଗ୍ରାମ କରି ଅାଜି ସକାଳ ପ୍ରାୟ ୧୦ଟାବେଳେ ଅାଖି ବୁଜିଦେଲେ ଭାରତୀ। ତାମିଲନାଡୁ କାମ କରିବାକୁ ଯାଇଥିବା ସ୍ୱାମୀ ନିର୍ମଳ ଖବର ପାଇ ଅାସୁଛନ୍ତି। ଝିଅକୁ ହରାଇ କୋହ ସମ୍ଭାଳି ପାରୁନାହାନ୍ତି ବାପା ଓ ଭାଇ ରଶ୍ମୀରଞ୍ଜନ। ମାର୍ଶାଘାଇ ଥାନାରେ ଭାଇଙ୍କ ଲିଖିତ ଏତଲା ଅାଧାରରେ ପୁଲିସ ତନାଘନା ଅାରମ୍ଭ କରି ଭାରତୀଙ୍କ ଶାଶୁ ଓ ୨ଜଣ ନଣନ୍ଦଙ୍କୁ ଗିରଫ କରିଛି। ଘଟଣା ପର ଠାରୁ ଅାଉ ଜଣେ ନଣନ୍ଦ ଫେରାର ହୋଇଯାଇଛି। ଭାରତୀଙ୍କ କୁନି ଝିଅଟି ଗାଁ ଲୋକଙ୍କ ପାଖରେ ଅଛି। ତା ଅାଖିରେ ବି ନିଆଁ ଝାସ ବାଜି କଷ୍ଟ ହେଉଛି।

୫ମାସ ତଳେ ସମାନ ଘଟଣା ନଜରକୁ ଅାସିଥିଲା ଖୋର୍ଦ୍ଧା ଜିଲ୍ଲା ଡିଙ୍ଗର ଗାଁରୁ। ଅଧିକ ଯୌତୁକ ପାଇଁ ସ୍ୱାମୀ, ଶ୍ୱଶୁର ଓ ଶାଶୁ ମିଶି ବୋହୂକୁ କିରାସିନି ଢାଳି ଜୀଅନ୍ତା ଜାଳିଦେବାକୁ ଉଦ୍ୟମ କରିଥିଲେ। ଅାଉ ମେଡିକାଲରେ ମୃତ୍ୟୁ ପୂର୍ବରୁ ପୀଡ଼ିତା ବଖାଣିଥିଲେ ଲୋମଟାଙ୍କୁରା ଘଟଣା।

Leave a Reply

Your email address will not be published. Required fields are marked *