ଖୋର୍ଦ୍ଧାର ପ୍ରସିଦ୍ଧ ଲାଲ୍ ଗାମୁଛା ଶୋଭାପାଇଲା ମୋଦିଙ୍କ ବେକରେ । କିଏ ଓ କାହିଁକି ଦେଇଥିଲେ ମୋଦିଙ୍କୁ ଏହି ଗାମୁଛା, ଜାଣନ୍ତୁ ?

ଗତ 24 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦୁଇ ଦୁଇଟି କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିବା ପୂର୍ବରୁ ବରୁଣେଇ ପାହାଡ ପାଦଦେଶେରେ ହୋଇଥିବା ଜନ ସଭାରେ ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ବୀର ପାଇକ ମାନଙ୍କ ଅବଦାନକୁ ମନେପକାଇଥିଲେ । ଜୟୀ ରାଜଗୁରୁଙ୍କ ଠାରୁ ଆରମ୍ଭ କରି ବକ୍ସି ଜଗବନ୍ଧୁଙ୍କ ଭଳି ବୀର ପାଇକଙ୍କ ଅବଦାନକୁ ମନେପକାଇବା ସହ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକୀ ମୁଦ୍ରା ଓ ଡାକ ଟିକେଟ ଜାରି କରିଥିଲେ ।

ଆଉ ମୋଦି ଖୋର୍ଦ୍ଧା ବୀରଙ୍କ ବୀରତ୍ୱର କାହାଣୀ କହୁଥିବା ବେଳେ ମଞ୍ଚରେ ଦେଖିବାକୁ ମିଳିଥିଲା ଖୋର୍ଦ୍ଧାର ଆଉ ଏକ ପ୍ରତୀକ । ଭାଷଣ ଦେଉଥିବା ବେଳେ ମୋଦିଙ୍କ ବେକରେ ଦେଖିବାକୁ ମିଳିଥିଲା ଖୋର୍ଦ୍ଧାର ଲାଲ୍ ଗାମୁଛା । ଯାହା ସେଠାରେ ଉପସ୍ଥିତ ଜନତାଙ୍କୁ ବେଶ ଖୁସ କରି ଦେଇଥିଲା । ମଞ୍ଚ ଉପରେ ପ୍ରାୟ ୩୪ ମିନିଟ୍ ୩୪ ସେକେଣ୍ଡର ଭାଷଣ ଦେଇଥିଲେ ମୋଦି । ଆଉ ଭାଷଣର ଆରମ୍ଭରୁ ଶେଷ ଯାଏଁ ମୋଦିଙ୍କ ବେକରେ ଟହଟହ ହୋଇ ଝଟକୁଥିଲା ଏହି ଖୋର୍ଦ୍ଧା ଗାମୁଛା । ତେବେ ମୋଦିଙ୍କୁ ଏହି ଖୋର୍ଦ୍ଧା ଗାମୁଛା ଦେଲା କିଏ?

ଆଉ ମୋଦି କାହିଁକି ଅନ୍ୟ କୌଣସି ଉପଠୌକନ ବେକରେ ନ ପକାଇ ଖୋର୍ଦ୍ଧା ପ୍ରସିଦ୍ଧ ଲାଲ୍ ଗାମୁଛା ବେକରେ ପକାଇଲେ ।  ତେବେ ମୋଦି ଖୋର୍ଦ୍ଧା ଗାମୁଛା ପକାଇବା ପଛରେ ଆଉ ଏକ କାରଣ ମଧ୍ୟ କୁହାଯାଉଛି । ମୋଦି ଯେଉଁ ଅଞ୍ଚଳରେ ରାଲି ବା ଜନସଭା କରିଥାନ୍ତି ସେଠାକାର ସଂସ୍କୃତି ଓ ଚାଳିଚଳନ ଉପରେ ଗୁରୁତ୍ୱ ଦେଇଥାନ୍ତି । କେତେବେଳେ ସ୍ଥାନୀୟ ଟୋପି ତ କେତେବେଳେ ସ୍ଥାନୀୟ ପୋଷାକ ପିନ୍ଧିଥାନ୍ତି ମୋଦି । ତେଣୁ ଖୋର୍ଦ୍ଧାରେ ଜନସଭା ହେବ ଆଉ ଖୋର୍ଦ୍ଧାର ପରିଚୟ ଲାଲ୍ ଗାମୁଛାକୁ ମୋଦି ଭୁଲିଥାନ୍ତେ ବା କେମିତି?

ଅରୁଗୁଳ ଠାରେ ଆଇଆଇଟି କ୍ୟାମ୍ପସର ଲୋକାର୍ପଣ ପରେ ଖୋର୍ଦ୍ଧାର ଗୋଶାଳା ଜନସଭାରେ ପହଞ୍ଚିଥିଲେ ମୋଦି । ମଞ୍ଚ ଉପରକୁ ଉଠିବା ମାତ୍ରେ ମୋଦି ମୋଦି ନାରା ଓ ତାଳିମାଡରେ କମ୍ପି ଉଠିଥିଲା ପୂରା ପଡିଆ । ହଜାର ହଜାର କର୍ମୀ ହାତ ହଲାଇ ମୋଦିଙ୍କୁ ଖୋର୍ଦ୍ଧା ମାଟିକୁ ସ୍ୱାଗତ କରିଥିଲେ । ଆଉ ଏହାପରେ ମଞ୍ଚ ଉପରେ ଥିବା ନେତା ମାନେ ମୋଦିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କିନ୍ତୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଖୋର୍ଦ୍ଧାର ଆଉ ଏକ ପରିଚୟ ଲାଲ୍ ଗାମୁଛା ଦେଇ ମୋଦିଙ୍କୁ ମଞ୍ଚ ଉପରେ ସ୍ୱାଗତ କରିଥିଲେ । ଆଉ ବସନ୍ତଙ୍କ ଏହି ଲାଲ୍ ଗାମୁଛାକୁ କିନ୍ତୁ ବେକରୁ ଓହ୍ଲାଇ ନଥିଲେ ମୋଦି ।

Leave a Reply

Your email address will not be published. Required fields are marked *