ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ମାଟ୍ରିିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ହେବା ସହ ସବୁ ସ୍କୁଲ ଆଉ ହଷ୍ଟେଲ ମଧ୍ୟ ବନ୍ଦ

ମେ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ପ୍ରେସ ବାର୍ତାରେ କୁହାଯାଇଛି ସ୍ଥିତିରେ ଉନ୍ନତି ଆସିବା ପରେ ଏନେଇ ନିଷ୍ପତି ନିଆଯିବ । କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିଲେ ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନେଇ ସମୀକ୍ଷା କରିବେ ।

ବୁଧବାର ସିବିଏସଇ ଦଶମ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିବା ପରେ ଗୁରୁବାର ଓଡିଶା ସରକାର ଓଡିଶାରେ ମାଟ୍ରିକ ପରୀକ୍ଷା ନେଇ ନିଷ୍ପତି ନେଇଛନ୍ତି । ପ୍ରତିବର୍ଷ ଫେବୃୟାରିରେ ହୋଇଥାଏ ମାଟ୍ରିକ ପରୀକ୍ଷା କିନ୍ତୁ କରୋନା ପାଇଁ ତାହା ମେ ୩କୁ ଘୁଂଚାଯାଇଥିଲା । ଆଉ କରୋନାର ଦ୍ୱିତୀୟ ଲହର ପାଇଁ ତାହା ବି ସମ୍ଭବ ହୋଇପାରିଲା ନାହିଁ । ଫଳରେ ଏହି ମହମାରୀ ୬ଲକ୍ଷ ୧୯ ହଜାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲିଦେଇଛି । ଅନ୍ୟପଟେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦ୍ୱାଦଶ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି ସରକାର ।

ମେ ୧୮ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ଏବେ ହେବ ନାହିଁ । ଜୁନ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନେଇ ସମୀକ୍ଷା କରିବେ । ଏବଂ ତା ପରେ ପରୀକ୍ଷା ଦେବାକୁ ଥିବା ସାଢେ ୩ଲକ୍ଷ ପିଲାଙ୍କ ପାଇଁ ପରବର୍ତ୍ତି ନିଷ୍ପତି ନିଆଯିବ । ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଓ ହଷ୍ଟେଲ ବନ୍ଦ ରହିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ ଆସନ୍ତା ୧୯ ତାରିଖରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମୟରେ ସ୍କୁଲରେ ଶିକ୍ଷା ସମ୍ବନ୍ଧୀୟ କୌଣସି କାର୍ଯ୍ୟକ୍ରମ କରିପାରିବେ ନାହିଁ । ରାଜ୍ୟ ସରକାରଙ୍କ ଏହି ନିଷ୍ପତି ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ କ୍ଷେତ୍ରରେ ଲାଗୁ ହେବ । ନବମ ଓ ଏକାଦଶ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ବିନା ପରୀକ୍ଷାରେ ପାସ କରାଯାଇଛି । ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ସେମାନଙ୍କ ଦ୍ୱାରା ପରିଚାଳିତ ହଷ୍ଟେଲ ଗୁଡିକ ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *